ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଯୋଡ଼ା ହେଲା ଆଉ ଏକ ନୂଆ ଅଧ୍ୟାୟ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଜିନ୍ଦ–ସୋନିପତ୍ ରୁଟରେ ସବୁଜ ପତାକା ଦେଖାଇ ଏହି ଐତିହାସିକ ଟ୍ରେନ୍ର ଯାତ୍ରା ଆରମ୍ଭ କରାଇଛନ୍ତି। ଏହା ସହିତ ପରିବେଶ ଅନୁକୂଳ ଓ ଆଧୁନିକ ରେଳ ବ୍ୟବସ୍ଥା ଦିଗରେ ଭାରତ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଏହି ଟ୍ରେନ୍ର ବିଶେଷତ୍ୱ ହେଉଛି ଏହା ଡିଜେଲ୍ କିମ୍ବା ବିଦ୍ୟୁତ୍ରେ ନୁହେଁ, ବରଂ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ପ୍ରଯୁକ୍ତିରେ ଚାଲୁଛି। ଫଳରେ ଧୂଆଁ କିମ୍ବା କ୍ଷତିକାରକ ଗ୍ୟାସ୍ ନିର୍ଗତ ହେଉନାହିଁ, ଯାହା ପରିବେଶ ସୁରକ୍ଷାରେ ବଡ଼ ସହାୟକ ହେବ। ଏହା ଭାରତୀୟ ରେଳର ଏକ ପାଇଲଟ୍ ପ୍ରକଳ୍ପ। ଏହି ପଦକ୍ଷେପ ମାଧ୍ୟମରେ ହାଇଡ୍ରୋଜେନ୍ ଟ୍ରେନ୍ ପରିଚାଳନା କରୁଥିବା ଜର୍ମାନୀ, ଜାପାନ, ଚୀନ୍ ଓ ଆମେରିକା ଭଳି ଦେଶମାନଙ୍କ ତାଲିକାରେ ଭାରତ ମଧ୍ୟ ସାମିଲ ହୋଇଛି। ଟ୍ରେନ୍ଟି ସମ୍ପୂର୍ଣ୍ଣ ଭାବେ ଦେଶରେ ନିର୍ମାଣ କରାଯାଇଥିବା ମଧ୍ୟ ଏହାର ଆଉ ଏକ ବଡ଼ ସଫଳତା। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ICF)ରେ ପ୍ରସ୍ତୁତ ଏହି ବ୍ରଡ୍ ଗେଜ୍ ହାଇଡ୍ରୋଜେନ୍ ଟ୍ରେନ୍ରେ ମୋଟ ୧୦ଟି କୋଚ୍ ରହିଛି। ସେଥିରୁ ୮ଟି ଯାତ୍ରୀ କୋଚ୍ ଥିବାବେଳେ ପ୍ରାୟ ୨,୬୦୦ ଯାତ୍ରୀ ଏକାସାଙ୍ଗରେ ଯାତ୍ରା କରିପାରିବେ। ଯାତ୍ରୀଙ୍କ ସୁରକ୍ଷା ଓ ଆରାମକୁ ଦୃଷ୍ଟିରେ ରଖି ଟ୍ରେନ୍ରେ ଆଧୁନିକ ବ୍ୟବସ୍ଥା କରାଯାଇଛି। ଟ୍ରେନ୍ର ପ୍ରଥମ ଯାତ୍ରାରେ ହରିୟାଣାର ବିଭିନ୍ନ ସ୍କୁଲ୍ର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା। ନୂତନ ପ୍ରଯୁକ୍ତିର ଏହି ଟ୍ରେନ୍ରେ ଯାତ୍ରା କରି ସେମାନେ ବେଶ ଉତ୍ସାହିତ ହୋଇଥିଲେ ଏବଂ ଦେଶପ୍ରେମର ସ୍ଲୋଗାନ୍ ଦେଇ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିଥିଲେ। ସାଧାରଣ ଯାତ୍ରୀଙ୍କ ପାଇଁ ଭଡ଼ା ମଧ୍ୟ ସୁଲଭ ରଖାଯାଇଛି। ସାଧାରଣ ପାସେଞ୍ଜର ଟ୍ରେନ୍ ପରି ଏହାର ଭଡ଼ା ୫ ଟଙ୍କାରୁ ୨୫ ଟଙ୍କା ମଧ୍ୟରେ ରହିବ। ୨୦୩୦ ସୁଦ୍ଧା ‘ନେଟ୍-ଜିରୋ କାର୍ବନ୍ ଏମିସନ୍’ ଲକ୍ଷ୍ୟ ହାସଲ କରିବାକୁ ଭାରତୀୟ ରେଳବାଇ ଯେଉଁ ଯୋଜନା ନେଇଛି, ହାଇଡ୍ରୋଜେନ୍ ଟ୍ରେନ୍ ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବନ୍ଦେ ଭାରତ ପରେ ଏବେ ହାଇଡ୍ରୋଜେନ୍ ଟ୍ରେନ୍ ଭାରତୀୟ ରେଳକୁ ଆଧୁନିକ, ସବୁଜ ଓ ପରିବେଶବନ୍ଧବ ପରିବହନ ବ୍ୟବସ୍ଥା ଦିଗରେ ଆଗକୁ ନେଇଯିବ ବୋଲି ଆଶା କରାଯାଉଛି। Post navigation ଜୁନ୍ ୬ରେ ଦିଲ୍ଲୀରେ ଗର୍ଜିବେ ଯୁବକ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜନ୍ତରମନ୍ତର ଚଲୋ ସାଂସଦ ଦିଲୀପ ରାୟଙ୍କ ପ୍ରଶ୍ନରେ କେନ୍ଦ୍ରର ସୂଚନା: ଦେଶର ବିଭିନ୍ନ ଅଦାଲତରେ ୫.୬୪ କୋଟିରୁ ଅଧିକ ମାମଲା ବିଚାରାଧୀନ