ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟଏଥିସହ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପାଇଁ ବଢ଼ିଲା ଆଶା ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ଜାତିସଂଘ ଜନସଂଖ୍ୟା ପାଣ୍ଠି(ୟୁଏନଏଫପିଏ) ଦ୍ୱାରା ମିଳିତ ସହଯୋଗରେ ଆୟୋଜିତ ସ୍ୱତନ୍ତ୍ର କର୍ମଶାଳାରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟରେ ମହିଳାମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଓ ବଢୁଥିବା ସାଇବର ଅପରାଧ ଉପରେ ରୋକ୍ ଲଗାଇବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଆଗାମୀ ଦିନରେ ରାଜ୍ୟରେ ୭ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ ଏବଂ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା କରିବା ନେଇ ସରକାର ବିଚାର କରୁଛନ୍ତି। ଏସବୁ ନୂତନ କୋର୍ଟ ପ୍ରତିଷ୍ଠା ହେଲେ ଅପରାଧିକ ମାମଲାର ତ୍ୱରିତ ବିଚାର ହୋଇପାରିବ। ପରିବର୍ତ୍ତିତ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ଆଗାମୀ ୫୦ବର୍ଷକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ କରିବା ପାଇଁ ଆମ ବିଧି ବ୍ୟବସ୍ଥାରେ ଅନେକ ସଂସ୍କାର ଆଣିବା ଜରୁରୀ। ବିଶେଷକରି ଗ୍ରାମାଂଚଳର ଲୋକ, ୬୨ଟି ଜନଜାତି ସମୁଦାୟ ଓ ୧୩ଟି ପିଭିଟିଜି ବର୍ଗଙ୍କୁ ନିଜ ଭାଷାରେ ଆଇନଗତ ସଚେତନତା ଯୋଗାଇ ଦେବା ସହ ସେମାନଙ୍କ ଅଧିକାର ବିଷୟରେ ଜଣାଇବାକୁ ସରକାର ରୋଡ଼ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଏହାସହ ଯୁବପିଢ଼ି ଓ ବୟସ୍କଙ୍କ ଆବଶ୍ୟକତାକୁ ନେଇ ନୂତନ ନୀତି ପ୍ରଣୟନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।ଏହି ଅବସରରେ ଆଇନ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ପରିବର୍ତ୍ତିତ ସାମାଜିକ ପରିସ୍ଥିତି ସମେତ ଆଇନ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ସହ ସଂଖ୍ୟାଗତ ହାର, ଅର୍ଥନୈତିକ ଅଭିବୃଦ୍ଧି, ସମାଧାନ ସମାରୋହ ମାଧ୍ୟମରେ ସମସ୍ୟାର ସମାଧାନ ଆଦି ଉପରେ ଗୁରୁତ୍ୱ ଦେଇଥିଲେ।ସେହିପରି ମୁଖ୍ୟ ସଚିବ ଅନୁ ଗର୍ଗ ଭବିଷ୍ୟତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ ବୋଲି କହିଥିବାବେଳେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଆଜିର ସମାଜରେ ପରିବର୍ତ୍ତିତ ପରିବାର ବ୍ୟବସ୍ଥା, ଦାୟିତ୍ୱ ଓ ସାମାଜିକ ପରିସ୍ଥିତି ଯୋଗୁଁ ଅଦାଲତରେ ମାମଲା ସଂଖ୍ୟା ବୃଦ୍ଧି ପାଉଥିବା କହିଥିଲେ। ଆଇନର ବ୍ୟାଖ୍ୟା ପରିବର୍ତ୍ତିତ ପରିସ୍ଥିତି ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ ଓ ସାଧାରଣ ଲୋକ ବୁଝିବା ଭଳି ଆଇନ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏହି ଅବସରରେ ‘ଲ’ ଇନ୍ ଏ ଚେଞ୍ଜିଂ ସୋସାଇଟି’ ଶୀର୍ଷକ ଏକ ପୁସ୍ତିକା ଉନ୍ମୋଚିତ ହୋଇଥିଲା। Post navigation ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଭକ୍ତ ବଢ଼ୁଛି ବାତ୍ୟା ଆଶଙ୍କା