Optical fiber internet will reach villages in the next 3 years, more than 50,000 villages will get high-speed connectionOptical fiber internet will reach villages in the next 3 years, more than 50,000 villages will get high-speed connection

ଭୁବନେଶ୍ୱର, ୨୯ ଜୁଲାଇ: ଓଡ଼ିଶାର ଗ୍ରାମାଞ୍ଚଳରେ ଡିଜିଟାଲ୍ ସଂଯୋଗ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଥିବାବେଳେ, ଏହା ମାଧ୍ୟମରେ ରାଜ୍ୟରେ ଭାରତନେଟ୍‌ ଫେଜ୍–୩ ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ ଗତି ମିଳିବ।

ଏହି ପ୍ରକଳ୍ପ ଅନୁସାରେ ରାଜ୍ୟର ୬,୭୯୯ଟି ଗ୍ରାମ ପଞ୍ଚାୟତର ଅପ୍ଟିକାଲ୍ ଫାଇବର ନେଟୱାର୍କକୁ ଆଧୁନିକ IP-MPLS ପ୍ରଯୁକ୍ତି ଓ ରିଂ ଟୋପୋଲୋଜି ମାଧ୍ୟମରେ ଉନ୍ନତ କରାଯିବ। ସେହିପରି Fiber to the Home (FTTH) ବ୍ୟବସ୍ଥା ମାଧ୍ୟମରେ ଘରେ ଘରେ ହାଇସ୍ପିଡ୍ ଇଣ୍ଟରନେଟ୍ ପହଞ୍ଚାଇବା ଲକ୍ଷ୍ୟ ରହିଛି। ସରକାରଙ୍କ ଯୋଜନା ଅନୁଯାୟୀ, ଆସନ୍ତା ତିନି ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବ।

ପ୍ରାୟ ₹୩,୩୮୪ କୋଟି ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୫୦ ହଜାରରୁ ଅଧିକ ଗାଁକୁ ଉଚ୍ଚଗତିର ଇଣ୍ଟରନେଟ୍ ସୁବିଧା ମିଳିବ। ଏହା ଦ୍ୱାରା ଗ୍ରାମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ-ଗଭର୍ନାନ୍ସ, ଡିଜିଟାଲ୍ ବ୍ୟାଙ୍କିଂ ଓ ଅନ୍ୟାନ୍ୟ ଅନଲାଇନ୍ ସେବା ଅଧିକ ସହଜରେ ଉପଲବ୍ଧ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

ଯୋଜନା ଅନୁଯାୟୀ, ପ୍ରତ୍ୟେକ ବ୍ଲକରେ ଏକ କେନ୍ଦ୍ରୀୟ ଅପ୍ଟିକାଲ୍ ଫାଇବର କେନ୍ଦ୍ର ସ୍ଥାପନ କରାଯିବ। ସେଠାରୁ ଗ୍ରାମ ପଞ୍ଚାୟତଗୁଡ଼ିକୁ ସଂଯୋଗ କରାଯିବ ଏବଂ ପରେ ଘରେ ଘରେ FTTH ସେବା ପହଞ୍ଚାଯିବ। ପ୍ରତ୍ୟେକ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଡାଟା ଏକ୍ସଚେଞ୍ଜ ସେଣ୍ଟର ମଧ୍ୟ ବିକଶିତ କରାଯିବ।

ଏହି ଅବସରରେ ପ୍ରଥମ ବୁଝାମଣା ପତ୍ର ଡିଜିଟାଲ୍ ଭାରତ ନିଧି (DBN), ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗ (DoT) ଓ ବିଏସଏନଏଲ୍‌ ମଧ୍ୟରେ ଭାରତନେଟ୍ ପ୍ରକଳ୍ପର ରୂପାୟନ ପାଇଁ ସ୍ୱାକ୍ଷରିତ ହୋଇଛି।

ଅନ୍ୟପଟେ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ସି-ଡ୍ୟାକ୍ (C-DAC) ମଧ୍ୟରେ ସ୍ୱାକ୍ଷରିତ ଦ୍ୱିତୀୟ ବୁଝାମଣା ପତ୍ର ମାଧ୍ୟମରେ କୃତ୍ରିମ ବୁଦ୍ଧିମତ୍ତା (AI), ସାଇବର ସୁରକ୍ଷା, ଗବେଷଣା ଓ ଡିଜିଟାଲ୍ ଶାସନ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ନାଗରିକମାନେ ଅଧିକ ଦ୍ରୁତ, ସୁରକ୍ଷିତ ଓ ପାରଦର୍ଶୀ ସରକାରୀ ଡିଜିଟାଲ୍ ସେବା ପାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, ଏହି ଦୁଇଟି ବୁଝାମଣା ପତ୍ର ରାଜ୍ୟର ଡିଜିଟାଲ୍ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା ସହ ଓଡ଼ିଶାକୁ ପ୍ରଯୁକ୍ତିନିର୍ଭର ଓ ଡିଜିଟାଲ୍ ଭାବେ ସଶକ୍ତ ରାଜ୍ୟରେ ପରିଣତ କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *