Inauguration of Power System Simulation Laboratory by Deputy CM

‘ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ’ (OPTCL) ପକ୍ଷରୁ ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟର (PTC) ଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରୀ ଉଦଘାଟନ ହୋଇଛି। ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମାଙ୍କ ଉପସ୍ଥିତିରେ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି।
ଏହି ନୂତନ ଲାବୋରେଟୋରୀଟି ଓପିଟିସିଏଲର ବୈଷୟିକ ଦକ୍ଷତା, ଗ୍ରୀଡ୍ ପରିଚାଳନା ଏବଂ କାର୍ଯ୍ୟ ବିଶ୍ୱସନୀୟତାକୁ ସୁଦୃଢ଼ କରିବା ପାଇଁ ପରିକଳ୍ପନା କରାଯାଇଛି। ଅତ୍ୟାଧୁନିକ ସିମୁଲେସନ ଉପକରଣ ଦ୍ୱାରା ସଜ୍ଜିତ ଏହି ଲ୍ୟାବ୍ ଇଞ୍ଜିନିୟରମାନଙ୍କୁ ଜଟିଳ ଗ୍ରୀଡ୍ ପରିସ୍ଥିତିର ମଡେଲିଂ କରିବା, ଲୋଡ୍ ଫ୍ଲୋ (load flow) ବିଶ୍ଳେଷଣ କରିବା ଏବଂ ବାସ୍ତବ ସମୟରେ ବିଦ୍ୟୁତ ସଙ୍କଟ ବା ତ୍ରୁଟିପୂର୍ଣ୍ଣ ଅବସ୍ଥାର ଅନୁକରଣ (simulate) କରିବାରେ ସାହାଯ୍ୟ କରିବ। ଏହାଦ୍ୱାରା ଓଡ଼ିଶାର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ କରିବା ଏବଂ ଅକ୍ଷୟ ଶକ୍ତିର ସଂଯୋଗୀକରଣ ପାଇଁ ଏକ ସୁଦୃଢ଼ ଓ ଭବିଷ୍ୟତ-ଉପଯୋଗୀ ଟ୍ରାନ୍ସମିସନ ନେଟୱାର୍କ ନିଶ୍ଚିତ ହୋଇପାରିବ।


ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ଯେ, ଏକ ଶକ୍ତିଶାଳୀ ପରିବହନ ନେଟୱାର୍କ ହିଁ ବିକଶିତ ଓଡ଼ିଶାର ମେରୁଦଣ୍ଡ। ଏହି ପାୱାର ସିଷ୍ଟମ ସିମୁଲେସନ ଲାବୋରେଟୋରୀ ଆମ ଇଞ୍ଜିନିୟରମାନଙ୍କୁ ଆଗାମୀ ଆହ୍ୱାନଗୁଡ଼ିକର ପୂର୍ବାନୁମାନ କରିବା ଶିଳ୍ପ, କୃଷି ତଥା ଘରୋଇ ଗ୍ରାହକମାନଙ୍କୁ ୨୪x୭ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବାରେ ସହାୟତା କରିବ। ଏହି ପଦକ୍ଷେପ ‘ବିକଶିତ ଓଡ଼ିଶା’ର ସ୍ୱପ୍ନ ସାକାର କରିବା ଦିଗରେ ଆମ ସରକାରଙ୍କ ଆଧୁନିକ ଓ ପ୍ରଯୁକ୍ତିଭିତ୍ତିକ ପ୍ରତିବଦ୍ଧତାକୁ ଦର୍ଶାଉଛି।
ଓପିଟିସିଏଲର ଚେୟାରମ୍ୟାନ ତଥା ମ୍ୟାନେଜିଂ ଡାଇରେକ୍ଟର ଭାସ୍କର ଜ୍ୟୋତି ଶର୍ମା କହିଛନ୍ତି ଯେ, ଏହି ଲ୍ୟାବ୍ ଦକ୍ଷତା ବୃଦ୍ଧି, ଗବେଷଣା ଏବଂ ନୂତନତ୍ୱ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏହା OPTCL ଏବଂ SLDC ଇଞ୍ଜିନିୟରମାନଙ୍କୁ ପ୍ରାୟୋଗିକ ତାଲିମ ପ୍ରଦାନ କରିବା ସହ ତଥ୍ୟ-ଭିତ୍ତିକ ନିଷ୍ପତ୍ତି ନେବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *