ଭୁବନେଶ୍ୱର: ଦୀର୍ଘ ଦୁଇମାସ ହେଲା ମିଳିନି ଭତ୍ତା, ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବଢ଼ିଲା ଆଶା । ଓଡ଼ିଶାର ବିଭିନ୍ନ ସ୍ଥାନରେ ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ସ୍ୱରୂପ ମିଳୁଥିବା ଭତ୍ତା ଦୀର୍ଘ ଦୁଇମାସ ଧରି ମିଳିନଥିବା ବେଳେ ଆଜି ମନ୍ତ୍ରୀ ନିଜେ ଦେଇଛନ୍ତି ପ୍ରତିଶ୍ରୁତି । ଭତ୍ତା ପାଇବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ଭତ୍ତା ବଣ୍ଟନ ନେଇ କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆସନ୍ତା ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହେବ ବୋଲି ସେ ଦେଇଛନ୍ତି ପ୍ରତିଶ୍ରୁତି । ରାଜ୍ୟରେ ଲକ୍ଷ ଲକ୍ଷ ହିତାଧିକାରୀ ଦୀର୍ଘ ଦୁଇମାସ ଧରି ଭତ୍ତା ପାଇନାହାନ୍ତି । ବିଶେଷ କରି ବ୍ୟାଙ୍କ ଖାତାରୁ ଉଠାଉ ଥିବା ହିତାଧିକାରୀମାନେ ଏ ସମସ୍ୟା ଭୋଗୁଛନ୍ତି । ବ୍ୟାଙ୍କ ଖାତା ସଂଯୋଗୀକରଣରେ ଡାଟା ମିସମ୍ୟାଚ ଓ ବୈଷୟିକ ତ୍ରୁଟି ପରିଲକ୍ଷିତ ହେଉଥିବା କାରଣରୁ ଭତ୍ତା ବଣ୍ଟନ ପ୍ରକ୍ରିୟା ପ୍ରଭାବିତ ହୋଇଛି ବୋଲି କୁହାଯାଉଛି ।ଦୀର୍ଘ ଦୁଇମାସରୁ ଅଧିକ ସମୟ ଧରି ଭତ୍ତା ବଣ୍ଟନ ହୋଇ ନପାରିବାରୁ ଏବେ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ମନ୍ତ୍ରୀ ଦେଇଛନ୍ତି ପ୍ରତିଶ୍ରୁତି । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, କିଛି ବୈଷୟିକ ସମସ୍ୟା ଯୋଗୁଁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଥିଲା । କିନ୍ତୁ ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ବର୍ତ୍ତମାନ ‘ସ୍ପର୍ଶ’ ପୋର୍ଟାଲ୍ ମାଧ୍ୟମରେ ଆକାଉଣ୍ଟ ଅପଡେଟ୍ ଓ ଯାଞ୍ଚ କାମ ଚାଲିଛି । ତେଣୁ, ଯଥା ସମ୍ଭବ ବୈଷୟିକ ତ୍ରୁଟିକୁ ଯୁଦ୍ଧକାଳୀନ ଭିତ୍ତିରେ ସୁଧାରିବା ସାଙ୍ଗକୁ ସମସ୍ତ ତଥ୍ୟ ଯାଞ୍ଚ କରି ଆକାଉଣ୍ଟ ସଂଯୋଗ କାମ ଶେଷ କରାଯିବ । ଏହା ସହିତ ହିତାଧିକାରୀମାନେ କିଭଳି ନିୟମିତ ଭତ୍ତା ପାଇପାରିବେ ସେନେଇ ସମ୍ପୃକ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ବୃଦ୍ଧ ଓ ଅସହାୟ ଲୋକ ଏହି ଭତ୍ତା ଉପରେ ନିର୍ଭର କରୁଥିବାରୁ ସେମାନଙ୍କ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବର୍ତ୍ତମାନ ମନ୍ତ୍ରୀଙ୍କ ଏହି ଆଶ୍ୱାସନା ପରେ ଖୁବଶୀଘ୍ର ଭତ୍ତା ଟଙ୍କା ମିଳିବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇ ଟଙ୍କା ଆକାଉଣ୍ଟକୁ ଆସିବ। ତେଣୁ ଏହି ଆଶ୍ୱାସନା କେବେ ଆଶ୍ୱସ୍ତିରେ ପରିଣତ ହେବ ତାହା ଦେଖିବାର ଅପେକ୍ଷା । Post navigation ଓଡ଼ିଶାରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: ବଢ଼ିଲା SC, ST ଓ SEBC ସଂରକ୍ଷଣ କୋଷ୍ଟାଲ ହାଇଓ୍ବେକୁ ନେଇ ମୁହାଁମୁହିଁ ସଞ୍ଜୟ – ପୃଥ୍ବୀରାଜ