ବିକଶିତ ହେବ ‘ସମ୍ବଲପୁର ଗ୍ରୋଥ୍ କରିଡର’; ସାମିଲ ହେବେ ରାଉରକେଲା, ଝାରସୁଗୁଡ଼ା, ବରଗଡ଼ ଓ ଦେବଗଡ଼; ୧ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ସହ ସୃଷ୍ଟି ହେବ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ । JSW ଓ ଜାପାନର JFE Steel ମଧ୍ୟରେ ଜଏଣ୍ଟ ଭେନ୍ଚର୍ ବା ଯୁଗ୍ମ ସହଭାଗୀତାର ଶୁଭାରମ୍ଭ, ଏହି ଭେନ୍ଚର୍ ଓଡ଼ିଶାରେ ୩୦ ହଜାର କୋଟି ଟଙ୍କା ନିବେଶ କରିବ, ଅତ୍ୟାଧୁନିକ ଇଲେକ୍ଟ୍ରିକାଲ ଷ୍ଟିଲ୍ ଉତ୍ପାଦନ କରିବଜାପାନ ପକ୍ଷରୁ ଓଡ଼ିଶାରେ ଏହା ହେବ ସର୍ବବୃହତ୍ ପୁଞ୍ଜିନିବେଶ । କେନ୍ଦୁଝରରେ ନିବେଶ ପାଇଁ JFE ଷ୍ଟିଲକୁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ; ଉତ୍ପାଦନ ଖର୍ଚ୍ଚ ୫୦% କମ୍ ହେବ ଓଡ଼ିଶାକୁ ଏକ ଲୌହ ପଥର ଉତ୍ପାଦନକାରୀ ରାଜ୍ୟରୁ ବିଶ୍ୱସ୍ତରୀୟ ଉଚ୍ଚମାନର ଇସ୍ପାତ ନିର୍ମାଣ ହବ୍ରେ ପରିଣତ କରିବା ପାଇଁ ଆଜି ଏକ ବଡ଼ ପଦକ୍ଷେପ ନିଆଯାଇଛି। ସମ୍ୱଲପୁରର ରେଙ୍ଗାଲୀ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ JSW ଷ୍ଟିଲ୍ ଲିମିଟେଡ୍ ଏବଂ ଜାପାନର JFE ଷ୍ଟିଲ୍ କର୍ପୋରେସନ୍ ମଧ୍ୟରେ ଏକ ଯୁଗ୍ମ ସହଭାଗିତା (Joint Venture) ଆରମ୍ଭ ହୋଇଛି।ଏହି ସହଭାଗିତା ବିଶେଷ କରି ଇଲେକ୍ଟ୍ରିକାଲ ଷ୍ଟିଲ୍ ଉତ୍ପାଦନରେ ସହାୟକ ହେବ, ଯାହା ଇଲେକ୍ଟ୍ରିକ୍ ଯାନ (EV) ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବ। ଏହି ପ୍ରକଳ୍ପ ଜରିଆରେ ଜାପାନ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ୧୫,୦୦୦ କୋଟି ଟଙ୍କାର ଏକକ ପୁଞ୍ଜିନିବେଶ କରାଯାଇଛି। ଏହାଦ୍ୱାରା JSW ଷ୍ଟିଲର ବର୍ତ୍ତମାନର କ୍ଷମତା ବାର୍ଷିକ ଅତିରିକ୍ତ ୧୦ ନିୟୁତ ଟନ୍ (10 MTPA) ବୃଦ୍ଧି ପାଇବ, ଯାହା ବିଶ୍ୱ ଇସ୍ପାତ ବଜାରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ। ୨୦୩୦ ସୁଦ୍ଧା ୧୦୦ MTPA ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “୨୦୩୦ ସୁଦ୍ଧା ବାର୍ଷିକ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବା ପାଇଁ ଆମେ ପ୍ରତିବଦ୍ଧ। ଏହି ଲକ୍ଷ୍ୟ ପୂରଣ ପାଇଁ ଆମ ପାଖରେ ଆବଶ୍ୟକୀୟ ସମ୍ବଳ, ନୀତି ଏବଂ ଭିତ୍ତିଭୂମି ରହିଛି।” ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ରାଜଧାନୀ ଅଞ୍ଚଳ ଭଳି ରାଉରକେଲା, ଝାରସୁଗୁଡ଼ା, ବରଗଡ଼ ଏବଂ ଦେବଗଡ଼କୁ ନେଇ ‘ସମ୍ବଲପୁର ଗ୍ରୋଥ୍ କରିଡର’ ବିକଶିତ କରାଯିବ। ଏହି କରିଡରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ସହ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେନ୍ଦୁଝରରେ ନିବେଶ ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ନିଜ ଗୃହ ଜିଲ୍ଲା କେନ୍ଦୁଝରରେ ନିବେଶ କରିବାକୁ JFE ଷ୍ଟିଲ୍ କମ୍ପାନୀକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦୁଝରରେ ଉଚ୍ଚମାନର ଲୌହ ପଥର ଓ ଉତ୍ତମ ପରିବହନ ବ୍ୟବସ୍ଥା ଯୋଗୁଁ ଉତ୍ପାଦନ ଖର୍ଚ୍ଚ ପ୍ରାୟ ୫୦% ହ୍ରାସ ପାଇବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଅତ୍ୟାଧୁନିକ ହାଇଗ୍ରେଡ୍ ଷ୍ଟିଲ ପ୍ରସ୍ତୁତ କ୍ଷେତ୍ରରେ JSW ଓ JFE ଷ୍ଟିଲ୍’ର ସହଭାଗୀତା ଖୁବ୍ ସହାୟକ ହେବ । ଏହି ସହଭାଗୀତା ଦ୍ୱାରା ଓଡ଼ିଶାରେ ସମୁଦାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନାକୁ ସାକାର କରିବା ଦିଗରେ ଆଜିର ଏହି ଜଏଣ୍ଟ ଭେନ୍ଚର୍ ଏକ ଐତିହାସିକ ପଦକ୍ଷେପ ସାବ୍ୟସ୍ତ ହୋଇଛି । ଏହାଦ୍ୱାରା ଓଡ଼ିଶା ବିଶ୍ୱର ପ୍ରତିଷ୍ଠିତ ନିବେଶକ ମାନଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଭାବେ ନିଜର ସ୍ଥାନକୁ ଆହୁରି ସୁଦୃଢ଼ କରିପାରିଛି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଏହି ଜଏଣ୍ଟ ଭେନ୍ଚର୍ ଭାରତ ଓ ଜାପାନ ମଧ୍ୟରେ ଦୀର୍ଘକାଳୀନ ଶିଳ୍ପ ସହଯୋଗୀ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିଶେଷକରି, ଟେକ୍ନୋଲୋଜି ଭିତ୍ତିକ ଅତ୍ୟାଧୁନିକ ଷ୍ଟିଲ୍ ନିର୍ମାଣ କ୍ଷେତ୍ରରେ ଏହି ସହଯୋଗ ଓଡ଼ିଶା ଓ ରାଜ୍ୟର ଅଭିବୃଦ୍ଧିରେ ସହାୟକ ହେବ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, JSW Steel ଓ ସାଉଦ କୋରିଆ କମ୍ପାନୀ ପୋସ୍କୋ ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ଓ କେନ୍ଦୁଝରରେ ଦୁଇଟି ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପନ କରାଯାଉଛି । ଏହି ଦୁଇଟି ପ୍ରକଳ୍ପ ବର୍ଷକୁ ୧୧ ମିଲିଅନ ଟନ୍ ଇସ୍ପାତ ଉତ୍ପାଦନ କରିବ । ଏହାଦ୍ୱାରା ଅଗ୍ରଣୀ ଷ୍ଟିଲ ଉତ୍ପାଦକ ରାଜ୍ୟ ମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ଆହୁରି ସୁଦୃଢ଼ ହେବ । Post navigation ତିଆରି ହେବ ନୂଆ ବ୍ରିଜ୍, ରାଜ୍ୟ କ୍ୟାବିନେଟରେ ମିଳିଲା ମଞ୍ଜୁରୀ ଓଡ଼ିଶାର ‘ଡାଲମା’ ଖାଇଲେ ଜାପାନ ରାଷ୍ଟ୍ରଦୂତ