Biju pattnaik death anniversary conducted by biju legacy leaders

ବିଜୁଙ୍କ ଶ୍ରାଦ୍ଧ ଦିବସରେ ଏକାଠି ହେଲେ ବରିଷ୍ଠ ନେତା । ଦଳମତ ନିର୍ବିଶେଷରେ ଏକାଠି ହେଲେ ନିଜକୁ ବିଜୁ ଲିଗାସୀର ସୂତ୍ରଧର କହୁଥିବା ନେତା । ବିଜୁଙ୍କୁ ଭଲପାଉଥିବା ନେତା, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ବିଜୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବିଜୁଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ମନେ ପକାଇଛନ୍ତି ବିଜୁଙ୍କ ଖାସ ଅନୁଗତ ଓ ତାଙ୍କୁ ପାଖରୁ ଦେଖିଥିବା ନେତା ।

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶା ନାଗରିକ ମଞ୍ଚରେ ବିଜୁ ଲିଗାସିର ନେତା ଏକାଠି ହୋଇ ପ୍ରବାଦ ପୁରୁଷଙ୍କୁ ମନେ ପକାଇଛନ୍ତି । ବିଜୁଙ୍କ ନୀତି ଆଦର୍ଶକୁ ଗାଁ ଗାଁରେ ପହଞ୍ଚାଇବାକୁ ନିଷ୍ପତ୍ତି ଭିତରେ ବିଜୟ ମହାପାତ୍ର ଦେଇଛନ୍ତି ରାଜନୈତିକ ଛୁଙ୍କ । ଏକ୍ସପେରିମେଣ୍ଟ ସହ ଓଡ଼ିଶା ନାଗରିକ ମଞ୍ଚ ଆଗକୁ ଓଡ଼ିଶାବାସୀଙ୍କ ସ୍ୱର ହେବ ବୋଲି କହି ରାଜ୍ୟ ରାଜନୀତିକୁ ଉଷ୍ଣ କରିଛନ୍ତି । ଏହା ସହ ନବୀନଙ୍କୁ କଟାକ୍ଷ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜୁଙ୍କ ନୀତି ଆଦର୍ଶକୁ କିଭଳି ଗତ ୨ ଦଶନ୍ଧି ମଧ୍ୟରେ ଜଳାଞ୍ଚଳି ଦିଆଯାଇଛି ସେନେଇ ମାରିଛନ୍ତି ତେରଛା ବାଣ ।

ସେହିଭଳି ବିଜୁ ବାବୁଙ୍କ ବିଶେଷ ଅନୁଗତ କୁହାଯାଉଥିବା ଦିଲୀପ ରାଏ ମଧ୍ୟ ସୁଯୋଗ ହାତଛଡା କରିନାହାନ୍ତି । ବିଜୁ ବାବୁଙ୍କୁ ଦେଖିନଥିବା ଲୋକ ଏବେ ବିଜୁଙ୍କୁ ନେଇ ଲମ୍ବା ଭାଷଣ ମାରୁଥିବା କହି କଟାକ୍ଷ କରିଛନ୍ତି ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ । ବିଜୁ ପରିବାରର ପରିଭାଷା ଓଡ଼ିଶାବାସୀଙ୍କ ସାମ୍ନାରେ ରଖିଛନ୍ତି ବିଜୁଙ୍କ ଅନୁଗତ । ବିଜୁଙ୍କ ଆଦର୍ଶରେ ଓଡ଼ିଶାର ବିକାଶ କରିବାକୁ ଆହ୍ୱାନ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ।

ବିଜୁଙ୍କ ଭଳି ସାହସୀ ହେବାକୁ ପ୍ରତିଟି ଓଡ଼ିଆଙ୍କୁ ଆହ୍ୱାନ ଦେଇଛନ୍ତି ଏକଦା ବିଜୁଙ୍କ ବିରୋଧରେ ଲଢିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜୁଙ୍କ ନୀତି ଆଦର୍ଶକୁ ଗାଁ ଗାଁରେ ପହଞ୍ଚାଇବାକୁ ଆଗକୁ ବ୍ଲକ୍‌ ଓ ପଞ୍ଚାୟତରେ ନାଗରିକ ମଞ୍ଚର ପରିକଳ୍ପନା କରାଯାଇଛି । ଅନ୍ୟପଟେ ବିଜେଡିରୁ ନିଲମ୍ବିତ ହୋଇଥିବା ୩ ବିଧାୟକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜୁ ଲିଗାସିକୁ ଆଗକୁ ନେବାକୁ ପଣ କରିଛନ୍ତି । ଏସବୁ ଭିତରେ ପୁରୁଖା ନେତା ବିଜୟ ମହାପାତ୍ର କହିଛନ୍ତି, ଓଡ଼ିଶା ନାଗରିକ ମଞ୍ଚ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ଏକମାତ୍ର ସ୍ୱର ହେବ । ଏହି ବୟାନ ହିଁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ପାଇଁ ସମ୍ଭାବନା ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *