Priyanka Gandhi's banter on Amit Shah on women reservation bill

ମହିଳା ସଂରକ୍ଷଣ ପାଇଁ ଆଗତ ବିଲ୍‌କୁ ନେଇ ସଂସଦରେ ଚାଲିଥିବା ଆଲୋଚନାରେ ଏକ ଭିନ୍ନ ରଙ୍ଗ ଦେଖିବାକୁ ମିଳିଛି । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସରକାରଙ୍କ ଏହି ପଦକ୍ଷେପକୁ କଡ଼ା ଭାଷାରେ ସମାଲୋଚନା କରିବା ସହ ଏହାକୁ ଏକ ‘ରାଜନୈତିକ ଷ୍ଟଣ୍ଟ’ ବୋଲି ଅଭିହିତ କରିଛନ୍ତି। ବିଜେପିର କାର୍ଯ୍ୟଶୈଳୀ ଉପରେ ବ୍ୟଙ୍ଗ କରି ସେ କହିଛନ୍ତି ଯେ, ଏହି ବିଲ୍ ମହିଳାଙ୍କ ପ୍ରକୃତ ଉନ୍ନତି ପାଇଁ ନୁହେଁ, ବରଂ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଏକ ଯୋଜନାବଦ୍ଧ ରଣନୀତି।

ନିଜ ବକ୍ତବ୍ୟରେ ସରକାରଙ୍କୁ ଘେରିବା ପାଇଁ ପ୍ରିୟଙ୍କା ଏକ ମଜାଦାର ଉଦାହରଣ ଦେଇଥିଲେ। ସେ କହିଥିଲେ, “ବିଜେପିର ଏଭଳି ରଣନୈତିକ ଚତୁରତା ଦେଖିଲେ ହୁଏତ ଆଜିର ସମୟରେ ଚାଣକ୍ୟ ବି ନିଜ ଚିନ୍ତାରେ ପଡ଼ିଯାଇଥାଆନ୍ତେ।” ଏବଂ ପ୍ରିୟଙ୍କାଙ୍କ ଏହି ଶାଣିତ ବ୍ୟଙ୍ଗୋକ୍ତି ଶୁଣି ଗୃହରେ ଉପସ୍ଥିତ ଥିବା ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିରୋଧୀ ବେଞ୍ଚର ସାଂସଦମାନେ ମଧ୍ୟ ନିଜକୁ ହସିବାରୁ ଅଟକାଇ ପାରିନଥିଲେ। ଲୋକସଭାରେ ଏହି ସମୟରେ ସମାଲୋଚନା ସହ ଏକ ହାଲୁକା ପରିବେଶ ଦେଖିବାକୁ ମିଳିଥିଲା।

ପ୍ରିୟଙ୍କା ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସ ସବୁବେଳେ ମହିଳାଙ୍କ ଅଧିକାରକୁ ସମର୍ଥନ କରେ, କିନ୍ତୁ ବିଜେପି ଯେଉଁ ଢଙ୍ଗରେ ଏହାକୁ ଆଗତ କରିଛି ତାହା ସନ୍ଦେହଜନକ। ସେ ଅଭିଯୋଗ ଆଣିଛନ୍ତି ଯେ, ଏହି ବିଲ୍‌କୁ ଏକ ‘ରାଜନୈତିକ ଟ୍ରମ୍ପ କାର୍ଡ’ ଭାବେ ବ୍ୟବହାର କରି କେନ୍ଦ୍ର ସରକାର ଭୋଟ୍ ହାତେଇବାକୁ ଚେଷ୍ଟା କରୁଛନ୍ତି।

ବିଜେପି ନିଜର ଦଳୀୟ ସ୍ୱାର୍ଥ ରକ୍ଷା କରିବାକୁ ଯାଇ ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ଅଣଦେଖା କରୁଛି । କିନ୍ତୁ ପ୍ରକୃତ ସଶକ୍ତୀକରଣ ଅପେକ୍ଷା କେବଳ ପ୍ରଚାର ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଥିବା ସେ ଦର୍ଶାଇଛନ୍ତି।

ପ୍ରିୟଙ୍କା ଗାନ୍ଧୀଙ୍କ ଏହି ଅଭିଭାଷଣ ଏବେ ସୋସିଆଲ ମିଡିଆ ଓ ରାଜନୈତିକ ମାହୋଲରେ ବେଶ୍ ଚର୍ଚ୍ଚାରେ ରହିଛି। ବିରୋଧୀ ଦଳର ଏହି ଶାଣିତ ଆକ୍ରମଣ ଆଗାମୀ ଦିନରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଆହୁରି ରୋଚକ କରିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *