ବିହାର ଇତିହାସରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଶେଷ ହୋଇଛି ନୀତୀଶ କୁମାରଙ୍କ ଦୀର୍ଘ ଦିନର ଶାସନ ଏବଂ ଆରମ୍ଭ ହୋଇଛି ‘ସମ୍ରାଟ’ ଯୁଗ । ବିହାର ଇତିହାସରେ ପ୍ରଥମ ଥର ପାଇଁ ଜଣେ ବିଜେପି ନେତା ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ । ଏହି ନୂତନ ସମୀକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ବିହାର ବିକାଶର ଏକ ନୂଆ ଅଧ୍ୟାୟ ବୋଲି କହିଛନ୍ତି । ବିହାରରେ ଆରମ୍ଭ ‘ସମ୍ରାଟ’ ଯୁଗ । ବିଜେପି ନେତା ସମ୍ରାଟ ଚୌଧୁରୀ ଆଜି ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପାଟନାର ଲୋକ ଭବନରେ ଆୟୋଜିତ ଭବ୍ୟ ସମାରୋହରେ ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ଏହି ଅବସରରେ ତାଙ୍କ ସହ ଜେଡିୟୁର ଦୁଇ ବରିଷ୍ଠ ନେତା ବିଜେନ୍ଦ୍ର ପ୍ରସାଦ ଯାଦବ ଏବଂ ବିଜୟ କୁମାର ଚୌଧୁରୀ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିହାର ଇତିହାସରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମେତ ବହୁ ବରିଷ୍ଠ ନେତା । ଶପଥ ଗ୍ରହଣ ପୂର୍ବରୁ ସମ୍ରାଟ ଚୌଧୁରୀ ପାଟନାର ପ୍ରସିଦ୍ଧ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଲୋକ ଭବନ ବାହାରେ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । “ବିହାର କା ମୁଖ୍ୟମନ୍ତ୍ରୀ କୈସା ହୋ, ସମ୍ରାଟ ଚୌଧୁରୀ ଜୈସା ହୋ” ସ୍ଲୋଗାନରେ ଫାଟି ପଡୁଥିଲା ପରିବେଶ । ଉତ୍ସବରେ ବିଜେପି ଅଧ୍ୟକ୍ଷ ନିତିନ ନବୀନ, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ବିଏଲ ସନ୍ତୋଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ଥିଲେ । ବିଜେପି ନେତୃତ୍ୱାଧୀନ ନୂତନ ସରକାରରେ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ପଶ୍ଚିମବଙ୍ଗ, ଆସାମ ଏବଂ କେରଳ ସମେତ ଚାରି ରାଜ୍ୟର ନିର୍ବାଚନ ଫଳାଫଳ ପରେ ହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ ବୋଲି ସୂଚନା ମିଳିଛି । ନୂତନ ସମୀକରଣ ବିହାରର ବିକାଶ ପାଇଁ କେତେ ଫଳପ୍ରଦ ହେଉଛି, ତାହା ଉପରେ ସାରା ଦେଶର ନଜର । Post navigation ଭୁବନେଶ୍ୱର ଆତଙ୍କୀ ମାମଲାରେ ନୂଆ ମୋଡ଼, ହନି ଟ୍ରାପ ଶିକାର ହୋଇଥିଲା ଇମ୍ରାନ ରାଜନୈତିକ ଚତୁରତାକୁ ପ୍ରିୟଙ୍କାଙ୍କ ‘ଚାଣକ୍ୟ’ କଟାକ୍ଷ, ମହିଳା ସଂରକ୍ଷଣ ବିଲ୍କୁ ନେଇ ସଂସଦରେ ହଟଚମଟ