odisha cm mohan majhi talking with police dg yb khurania over phone

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କ ହତ୍ୟା ଘଟଣା । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଡି.ଜିଙ୍କ ସହ କଥା ହେବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

ସର୍ବସମ୍ମୁଖରେ ଘଟିଥିବା ଭିଡ଼ ହତ୍ୟା ଘଟଣାର ପୁନରାବୃତ୍ତି ଯେମିତି ନ ହୁଏ, ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଲେ । ତେବେ ଏହି ଘଟଣାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମଧ୍ୟ ଆସନ୍ତାକାଲି ବାଲିଅନ୍ତା ଯିବେ ବୋଲି ସୂଚନା ମିଳିଛି । ଅଭିଯୋଗ ଆଣିବା ସମ୍ପୃକ୍ତ ମହିଳାମାନଙ୍କ ସହିତ ଆଲୋଚନା କରି ସତ୍ୟାସତ୍ୟର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବେ ବୋଲି ଜଣାପଡ଼ିଛି ।

ତେବେ ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ସହିତ କଥା ହୋଇ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରିବା ସହିତ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏଥିସହ ପୋଲିସ ପ୍ରଶାସନ ଓ ପୋଲିସ ବାହିନୀ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଆଇନର ଶାସନ ଉଚିତ ଭାବେ ଲାଗୁ କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରିବା ସହିତ ତଦନ୍ତ ଜାରି ରଖିଛି ।

ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ଆଲୋଚନା କରିଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଘଟଣାର ସମସ୍ତ ଦିଗ ପ୍ରତି ସଚେତନ ରହି ପ୍ରକୃତ ସତ୍ୟ ଖୋଜି ବାହାର କରିବା ପାଇଁ ଏହି ଘଟଣାରେ ଯେଉଁ ମହିଳାମାନଙ୍କ ସହିତ ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ ହୋଇଛି, ସେମାନଙ୍କ ସହିତ ଆଲୋଚନା କରିବାକୁ ଶ୍ରୀମତୀ ମହାନ୍ତି ଆସନ୍ତା କାଲି ବାଲିଅନ୍ତା ଯିବେ ବୋଲି ଜଣା ଯାଇଛି।

Leave a Reply

Your email address will not be published. Required fields are marked *